
ନୂଆଦିଲ୍ଲୀ;୧୭/୧୧ (ମୋର୍ ସମିୟା) ଭାରତୀୟ କ୍ରିକେଟ୍ ଜଗତର ଅନ୍ୟତମ ମହାନ ଖେଳାଳି ତଥା କ୍ୟାପ୍ଟେନ୍ କୁଲ୍ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନି ଆଇପିଏଲ୍ରେ ନିଜର ଖେଳାଳି ଜୀବନରେ ପୂର୍ଣ୍ଣଛେଦ ଟାଣିଛନ୍ତି। ମଙ୍ଗଳବାର (୧୭ ନଭେମ୍ବର) ଚେନ୍ନାଇ ସୁପର କିଙ୍ଗସ୍ (CSK) ପକ୍ଷରୁ ଏହି ଘୋଷଣା କରାଯାଇଛି। ଆଇପିଏଲ୍ ୨୦୨୭ରୁ ସେ ଚେନ୍ନାଇ ସୁପର କିଙ୍ଗସ୍ର ଟିମ୍ ମେଣ୍ଟର ଭାବେ ନୂଆ ଦାୟିତ୍ୱ ତୁଲାଇବେ। ୨୦୦୮ ମସିହାରେ ଆଇପିଏଲ୍ର ପ୍ରଥମ ସଂସ୍କରଣରୁ ନିଜର ଯାତ୍ରା ଆରମ୍ଭ କରିଥିବା ଧୋନି ପ୍ରାୟ ୧୮ ବର୍ଷ ଧରି କ୍ରିକେଟ୍ ପ୍ରେମୀଙ୍କ ହୃଦୟରେ ରାଜ୍ କରିଆସିଛନ୍ତି। ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ୍ ୨୦୧୦, ୨୦୧୧, ୨୦୧୮, ୨୦୨୧ ଓ ୨୦୨୩ ମସିହାରେ ମୋଟ ୫ ଥର ଆଇପିଏଲ୍ ଚାମ୍ପିଅନ୍ ହୋଇଛି। ଏହା ସହିତ ସେ ଦୁଇଥର ଚାମ୍ପିଅନ୍ସ ଲିଗ୍ ଟି-୨୦ ଟ୍ରଫି ମଧ୍ୟ ଜିତାଇଛନ୍ତି।
ଧୋନି ଆଇପିଏଲ୍ରେ ଚେନ୍ନାଇ ପାଇଁ ୨୭୨ଟି ମ୍ୟାଚ୍ ଖେଳି ୫,୩୧୪ ରନ୍ ସଂଗ୍ରହ କରିଛନ୍ତି। ତାଙ୍କର ଶାନ୍ତ ସ୍ୱଭାବ, ଚମତ୍କାର ଅଧିନାୟକତ୍ୱ, ଦ୍ରୁତ ନିଷ୍ପତ୍ତି ନେବାର କ୍ଷମତା ଏବଂ ମ୍ୟାଚ୍ ଫିନିସ୍ କରିବାର ଅନ୍ଦାଜ ତାଙ୍କୁ ଅନ୍ୟ ଖେଳାଳିଙ୍କଠାରୁ ସ୍ୱତନ୍ତ୍ର ପରିଚୟ ଦେଇଛି। ୨୦୨୬ ଆଇପିଏଲ୍ରେ ଆହତ ସମସ୍ୟା କାରଣରୁ ସେ ଗୋଟିଏ ମଧ୍ୟ ମ୍ୟାଚ୍ ଖେଳିପାରି ନଥିଲେ। ତେବେ ଖେଳାଳି ଭାବେ ଅବସର ନେବା ପରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ୍ ସହ ତାଙ୍କର ସମ୍ପର୍କ ଅତୁଟ ରହିବ। ନୂଆ ପିଢ଼ିର ଖେଳାଳିଙ୍କୁ ନିଜ ଅଭିଜ୍ଞତା ଓ ମାର୍ଗଦର୍ଶନ ଦେବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ।ଧୋନିଙ୍କ ଅବସର ସହିତ ଆଇପିଏଲ୍ର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ହେଲେ ଖେଳାଳି ଭାବେ ନୁହେଁ, ମେଣ୍ଟର ଭାବେ ତାଙ୍କର ନୂଆ ଇନିଂସକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।




