ତାଜା ଖବରଦେଶ ବିଦେଶମନୋରଞ୍ଜନମୋର ସମୀୟା ଏକ୍ସକ୍ଲୁସିଭ

ଦୁଲକୁଛେ ପଶ୍ଚିମ ଓଡ଼ିଶା,ଆଜି ପଶ୍ଚିମ ଓଡ଼ିଶା ର ଗଣପର୍ବ ନୂଆଁଖାଇ।

ନୂଆଁଖାଇ ଜୁହାର।

ପଶ୍ଚିମ ଓଡ଼ିଶାର ମାଟିରେ ପରବ୍ ତ ଅନେକ୍ ଅଛେ, ହେଲେ ସେଥିର୍ ଭିତରେ ନୂଆଁଖାଇର୍ ଗୁଟେ ଅଲଗା ପରିଚୟ ଅଛେ। ନୂଆଁଖାଇ ଖାଲି ଗୁଟେ ପରବ୍ ନୁହେଁ, ଇଟା ହେଉଛେ ମାଟିର୍ ମହକ୍, ପରିବାରର୍ ମମତା, ଭାଇଚାରା ଆର୍ ପଶ୍ଚିମ ଓଡ଼ିଶାର୍ ସଂସ୍କୃତିର୍ ଗୁଟେ ଜୀବନ୍ତ ପରିଚୟ। ବଛର୍ ସାରା ଚାଷୀ ମାଟି ସାଙ୍ଗେ ଲଢ଼େଇ, ଖରା-ବର୍ଷା ସହେ, ନିଜର୍ ଝାଲ ନାଲ ଏକ୍ କରି ଧାନ୍ କମାସି। ସେଇ ନୂଆଁ ଧାନ୍ ଘରକେ ଆସଲା ପରେ ମା’ ସମଲେଇଙ୍କର୍ ପାଖେ ପହେଲା ଭୋଗ୍ ଲଗାସି, ପରେ ପରିବାରର୍ ସବୁ ଲୋକ୍ ମିଶି ନୂଆଁ ଅନ୍ନ ଖାଇସନ୍—ଇ ପରମ୍ପରାକେ କୁହାଯାସି ନୂଆଁଖାଇ।

ନୂଆଁଖାଇର୍ ମୂଲ୍ ଅର୍ଥ

‘ନୂଆଁ’ ମାନେ ନୂଆ ଆର୍ ‘ଖାଇ’ ମାନେ ଖାଇବା। ଅର୍ଥାତ୍ ନୂଆଁ ଫସଲ୍, ବିଶେଷ୍ କରି ନୂଆଁ ଧାନ୍ ଘରକେ ଆସଲା ପରେ ତାହାକେ ଦେବୀ-ଦେବତାଙ୍କର୍ ପାଖେ ଅର୍ପଣ୍ କରି ପରିବାର ସାଙ୍ଗେ ମିଶି ଖାଇବା ହେଉଛେ ନୂଆଁଖାଇର୍ ମୂଲ୍ ପରମ୍ପରା। ଇ ପରବ୍ ଚାଷୀ ଆର୍ ମାଟିର୍ ସମ୍ପର୍କକେ ସବୁଠୁ ବେଶି ସୁନ୍ଦର୍ ଭାବେ ଦେଖାସି। ମାଟି ଯେତେବେଲେ ନୂଆଁ ଧାନ୍ ଦେସି, ସେତେବେଲେ ମଣିଷ ମାଟିକେ ଧନ୍ୟବାଦ୍ ଦେସି, ଭଗବାନ୍‌କେ କୃତଜ୍ଞତା ଜଣାସି ଆର୍ ନୂଆଁ ଆଶା ସାଙ୍ଗେ ଜୀବନ୍ ଆରମ୍ଭ୍ କରସି।

ମା’ ସମଲେଇଙ୍କର୍ ପାଖେ ନୂଆଁ ଅନ୍ନ

ନୂଆଁଖାଇ ଦିନ୍ ଘରେ ଘରେ ନୂଆଁ ଚାଉଲ୍, ନୂଆଁ ଧାନର୍ ଚୁଡ଼ା, ଖିରି, ଆରିସା, ମଣ୍ଡା, କାକରା ଭଲି ଭିନେ ଭିନେ ପିଠାପଣା ତିଆରି ହେସି। ପରିବାରର୍ ଲୋକ୍ ନୂଆଁ ବସ୍ତ୍ର ପିନ୍ଧି ପୂଜାପାଠ୍ କରସନ୍। ସମ୍ବଲପୁରର୍ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କର୍ ପାଖେ ନୂଆଁ ଅନ୍ନ ଅର୍ପଣ୍ କରାଯାଏ। ଏଇ ପରମ୍ପରା ପଛେ ରହିଛେ ଆସ୍ଥା ଆର୍ ଭକ୍ତିର୍ ଗଭୀର୍ ସମ୍ପର୍କ।

ନୂଆଁଖାଇ ଭେଟ୍‌ଘାଟ୍

ନୂଆଁଖାଇର୍ ଆର୍ ଗୁଟେ ବଡ଼ ପରମ୍ପରା ହେଉଛେ ନୂଆଁଖାଇ ଭେଟ୍‌ଘାଟ୍। ନୂଆଁଖାଇ ସରିଗଲା ପରେ ସାନ୍-ବଡ଼, ଭାଇ-ଭଉଣୀ, ବନ୍ଧୁ-ବାନ୍ଧବ ସମକୁ ଭେଟି ଜୁହାର୍ କରସନ୍। ବଡ଼ ମାନକର୍ ଆଶୀର୍ବାଦ୍ ନିଆଯାଏ ଆର୍ ସାନ ମାନକେ ଆଦର୍ କରାଯାଏ। ଇ ଭେଟ୍‌ଘାଟ୍ ଖାଲି ଗୁଟେ ବହୁତ୍ ନିଆରା। ଇଟା ପରିବାର୍ ଭିତରର୍ ଭଲପାଇବା, ସମ୍ପର୍କ ଆର୍ ସାମାଜିକ୍ ଏକତାକେ ଆହୁରି ମଜବୁତ୍ କରସି।

ଢୋଲ୍-ନିଶାନ୍ ସାଙ୍ଗେ ଉତ୍ସବ୍‌ମୁଖର୍ ପଶ୍ଚିମ ଓଡ଼ିଶା

ନୂଆଁଖାଇ ଆସଲେ ପଶ୍ଚିମ ଓଡ଼ିଶାର୍ ଗାଁଠୁ ସହର୍ ତକ୍ ସବୁନେ ଉତ୍ସବ୍‌ର ମାହୋଲ୍ ଦେଖବାକେ ମିଲ୍‌ସି। ଢୋଲ୍, ନିଶାନ୍, ତାସା ଆର୍ ସମ୍ବଲପୁରୀ ଗୀତ୍-ନାଚ୍‌ରେ ପରିବେଶ୍ ମୁଖରିତ୍ ହେଇଯାଏସି। ସମ୍ବଲପୁରୀ ଗୀତ୍, ନୃତ୍ୟ, ବାଜା ଆର୍ ପାରମ୍ପରିକ୍ ପୋଷାକ୍ ନୂଆଁଖାଇର୍ ଖୁସିକେ ଆର୍ ବଢ଼ାସି। ଗାଁ ନୁ ସହର୍ ବଡ଼ ମଚାନ୍ ତକ୍ ନୂଆଁଖାଇ ର୍ ରଙ୍ଗ୍ ଦେଖବାକେ ମିଲ୍‌ସି।

ଚାଷୀ ଆର୍ ନୂଆଁଖାଇ

ନୂଆଁଖାଇ ର୍ ମୂଲ୍ ଆତ୍ମା ହେଉଛନ୍ ଚାଷୀ। ଚାଷୀ ବିନା ନୂଆଁଖାଇ ର୍ କଳ୍ପନା କରାଯାଇ ନାଇ ପାରେ। ଚାଷୀର୍  ପରିଶ୍ରମ୍ ଆର୍ ଆଶାର୍ ଫଲ୍ ହେଉଛେ ନୂଆଁ ଧାନ୍।

ନୂଆଁଖାଇ ଦେସି ଏକତାର୍ ବାର୍ତ୍ତା

ନୂଆଁଖାଇ  ଧନୀ-ଗରିବ୍, ଗାଁ-ସହର୍, ଛୁଆ-ବୁଢ଼ା ସବୁକେ ଗୁଟେ ସୂତାରେ ବାନ୍ଧି ଦେସି। ମନର୍ ରାଗ୍-ଅଭିମାନ୍ ଭୁଲି ସମକୁ ଜୁହାର୍ କରି ନୂଆଁ ସମ୍ପର୍କ୍ ଆର୍ ନୂଆଁ ଆଶା ସାଙ୍ଗେ ଆଗ୍‌କେ ବଢ଼ବାର୍ ବାର୍ତ୍ତା ଦେସି ଇ ପରବ୍। ଆଜିର୍ ସମିଆରେ ଲୋକ୍ ନିଜର୍ କାମ୍ ଧନ୍ଧା ଲାଗି ବିଭିନ୍ନ୍ ସହର୍ ଆର୍ ରାଜ୍ୟରେ ରହୁଛନ୍। ହେଲେ ନୂଆଁଖାଇ ଆସଲେ ଅନେକ୍ ଲୋକ୍ ନିଜର୍ ମା ମାଏଟ୍ କେ ଫିରି ଆଏସନ୍। ପରିବାର୍ ସାଙ୍ଗେ ନୂଆଁଖାଇ ପାଳନ୍ କରିବାର୍ ଇ ଭାବନା ଇ ପରବ୍‌କେ ଆହୁରି ମହାନ୍ କରିଛେ।

ଆଧୁନିକ୍ ସମିଆରେ ନୂଆଁଖାଇର୍ ମହତ୍ତ୍ୱ

ଆଜି ଦୁନିଆଁ ବଦଲୁଛେ, ଜୀବନ୍‌ଶୈଳୀ ବଦଲୁଛେ, ଲୋକ୍‌ମାନକର୍ କାମ୍‌ଧନ୍ଧା ବଦଲୁଛେ। ହେଲେ ନୂଆଁଖାଇର୍ ପରମ୍ପରା ଆର୍ ଭାବନା ଆଜି ବି ଲୋକ୍‌ମାନକର୍ ମନ୍‌ରେ ସେତ୍‌କିଏ ଜୀବନ୍ତ୍ ଅଛେ। ନୂଆଁଖାଇ ଆମକୁ ଶିଖାଏ—ଅନ୍ନର୍ ଅପମାନ୍ ନାଇଁ କରବା, ଚାଷୀକେ ସମ୍ମାନ୍ ଦେବା, ପରିବାର୍ ସାଙ୍ଗେ ସମୟ୍ ବିତାବା, ବଡ଼ମାନକର୍ ଆଶୀର୍ବାଦ୍ ନେବାର ଆର୍ ନିଜର୍ ମାଟି-ସଂସ୍କୃତିକେ ଧରି ରଖବା।

ନୂଆଁଖାଇ—ଆମର୍ ଗର୍ବ୍, ଆମର୍ ପରିଚୟ

ନୂଆଁଖାଇ ହେଉଛେ ପଶ୍ଚିମ ଓଡ଼ିଶାର୍ ଗରବ୍। ଇ ପରବ୍‌ରେ ମାଟିର୍ ସୁଗନ୍ଧ୍ ଅଛେ, ଚାଷୀର୍ ପରିଶ୍ରମ୍ ଅଛେ, ମା’ର୍ ମମତା ଅଛେ, ବଡ଼ମାନକର୍ ଆଶୀର୍ବାଦ୍ ଅଛେ ଆର୍ ସମାଜ୍‌ର ଏକତାର୍ ଶକ୍ତି ଅଛେ। ନୂଆଁଖାଇ ଆମକୁ କହେ—ନୂଆଁ ଧାନ୍ ସାଙ୍ଗେ ନୂଆଁ ଆଶା, ନୂଆଁ ସମ୍ପର୍କ୍ ଆର୍ ନୂଆଁ ସପନ୍ ନେଇ ଜୀବନ୍‌କେ ଆଗ୍‌କେ ନେବା।

ଏଇ ପବିତ୍ର୍ ନୂଆଁଖାଇ ପରବ୍‌ରେ ସମକର୍ ଘରେ ସୁଖ୍, ଶାନ୍ତି, ସମୃଦ୍ଧି ଆର୍ ଖୁସି ଭରିଯାଉ—ଇଟା ହେଉଛେ ଟିମ୍ ମୋର୍ ସମିୟା ତରଫ ରୁ ଶୁଭକାମନା।

 

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!