
ବଲାଙ୍ଗିର;୨୭/୧୦(ମୋର୍ ସମିୟା) ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲାରେ ଅକ୍ଟୋବର ୨୮ ତାରିଖ ବୁଧବାର ଦିନ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏନେଇ ବଲାଙ୍ଗିର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୨୭ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ, ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ଛୁଟି ଏଲିମେଣ୍ଟାରୀ, ସେକେଣ୍ଡାରୀ, ହାୟର ସେକେଣ୍ଡାରୀ ସ୍କୁଲ୍ ସମେତ ଓଏଭି (OAV), କେନ୍ଦ୍ରୀୟ ବିଦ୍ୟାଳୟ (KV), ଏମ୍ଆର୍ଏସ୍ (EMRS) ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ।
ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ବିଦ୍ୟାଳୟ କୋଠାଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ଆବଶ୍ୟକୀୟ ସୁବିଧା ସୁଯୋଗ ଉପଲବ୍ଧ କରାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ସମ୍ଭାବ୍ୟ ବାତ୍ୟା ଓ ପ୍ରତିକୂଳ ପାଣିପାଗକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବାରୁ ଜିଲ୍ଲାବାସୀଙ୍କୁ ପାଣିପାଗ ସମ୍ପର୍କିତ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଉଛି।ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବାକୁ ଥିବାବେଳେ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ସ୍ୱାଭାବିକ ଭାବେ ବିଦ୍ୟାଳୟରେ ଉପସ୍ଥିତ ରହିବେ। ଏଥିସହ ବିଦ୍ୟାଳୟଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ଖୋଲା ରଖିବା ପାଇଁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।



